Unknown

 

 

 

 

 

 

 

 

 

ଧର୍ମପଦ

ଗୋପବନ୍ଧୁ ଦାସ

 

ଭୂମିକା

 

ବାଲ୍ୟକାଳରୁ କବି ହେବାର ବାସନା ମୋର ବଳବତୀ ଥିଲା । ବାଲ୍ୟସହଜ ଉଦ୍ୟମ ମଧ୍ୟ ସେଆଡ଼େ କିଛି କରିଥିଲି; ମାତ୍ର ଘଟଣା-ତରଙ୍ଗରେ ଇତସ୍ତତଃ ବିକ୍ଷିପ୍ତ ହୋଇ ଚିରଦିନ ସେ ଆଶା ମଉଳିଛି । ‘‘ଧର୍ମପଦ’’ ସେ ଆଶାର ଅଙ୍କୁର ନୁହେ, ଏହା ବିକ୍ଷିପ୍ତ ହୃଦୟର ସାମୟିକ ସ୍ପନ୍ଦନ ମାତ୍ର । ବନ୍ଦିଶାଳାର ନିର୍ଜନ ପ୍ରକୋଷ୍ଠରେ ଏକ ସନ୍ଧ୍ୟାରୁ ତହିଁ ଆରଦିନ ସକାଳ ପର୍ଯ୍ୟନ୍ତ ଏକାକୀ ଆବଦ୍ଧ ହୋଇ ଅନେକ ସମୟରେ ଉନ୍ନିଦ୍ରାବସ୍ଥାରେ ଯେସବୁ ଚିନ୍ତା ମନକୁ ଆସୁଥୁଲା, ‘‘ଧର୍ମପଦ’’ ତହିଁରୁ ଅନ୍ୟତମ । ଦେଶ ଦଶ ନିମନ୍ତେ ଆତ୍ମୋତ୍ସର୍ଗରେ କି ସୁଖ ଓ ଗୌରବ ଅଛି, ଉତ୍କଳର ଚିରକଥିତ ଏହି କିମ୍ବଦନ୍ତୀରେ ତାହା ସୁସ୍ପଷ୍ଟ ବିବୃତ ହୋଇଅଛି । ଯଦ୍ଦ୍ୱାରା ସର୍ବାଧୂକ ସଂଖ୍ୟକ ଲୋକଙ୍କର ସର୍ବାଧୂକ ପରିମାଣରେ ହିତ ହୁଏ, ତାହା ହିଁ ମାନବର କର୍ତ୍ତବ୍ୟ ।

 

ନୀତିଶାସ୍ତ୍ରର ଏହି ତତ୍ତ୍ୱ ପ୍ରକାଶ କରିବାର ପ୍ରୟୋଜନସ୍ଥଳେ, “ବାର ଶହ ବଢେଇରେ ଦାୟ, କି ପୁଅରେ ଦାୟ’’–ଏକଥା ଓଡିଶାର ଜନସାଧାରଣ ବ୍ୟବହାର କରିଥାନ୍ତି । ମାତ୍ର ଏଡ଼େ ସୁନ୍ଦର କିମ୍ବଦନ୍ତୀର ଆଖ୍ୟାନ ଉତ୍କଳସାହିତ୍ୟରେ କୌଣସିଠାରେ ଏ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇନାହିଁ । ଏପରି କି ଏଥିର ମୂଳକଥା ଅନେକଙ୍କୁ ଜଣା ନାହିଁ । ଏ ଜନଶ୍ରୁତି ସମ୍ବନ୍ଧରେ ଲୋକମୃଖରେ ଯାହା କଥିତ ହୋଇଥାଏ, ସେଥିରେ ଶୁଣାଯାଏ ଯେ ରାତିକ ମଧ୍ୟରେ ପୁଅ ଦେଉଳ ପୂର୍ଣ୍ଣ କରିଦେବାରୁ ବାରଶହ ବଢ଼େଇଙ୍କ ଖାତିରିରେ ନିଜେ ବାପ ପୁଅକୁ ଦେଉଳ ଉପରୁ ଗଡ଼ାଇଦେଇ ମାରିପକାଇଥିଲା; ମାତ୍ର ଏହା ଅସ୍ୱାଭାବିକ–ଏପରି କରିବାକୁ କୌଣସି ବାପର ହାତ ଯିବ ନାହିଁ, ପ୍ରବୀଣ ବିଶାରଦ ବାରଶତ ଶିଳ୍ପୀ ଏପରି କାର୍ଯ୍ୟରେ ବାପକୁ ଅନୁରୋଧ କରିବା ଅସଙ୍ଗତ । ବିଚକ୍ଷଣ ବାରଶହ ବଢ଼େଇ ଯେ କାର୍ଯ୍ୟ କରିବାକୁ ଅସମର୍ଥ, ବାରବର୍ଷର ବାଳକ ପକ୍ଷରେ ତାହା ସମ୍ପାଦନ କରିବା ଅସାଧ୍ୟ ହୋଇପାରେ; ମାତ୍ର ଅସମ୍ଭବ ନୁହେ । ମାନବ-ସମାଜରେ ଏପରି ଅଭୁତ ଶକ୍ତି ଓ ପ୍ରତିଭା ମଧ୍ୟେ ମଧ୍ୟେ ପ୍ରକାଶ ପାଇଥାଏ । ଧୁବ, ପ୍ରହ୍ଲାଦ, ଏକଲବ୍ୟ, ଶୁକ, ଅଭିମନ୍ୟୁ ପ୍ରଭୃତି ପୁରାଣର କଥା; ଶଙ୍କରାଚାର୍ଯ୍ୟ, ବାଦଲ ପ୍ରଭୃତିଙ୍କ ଅଭୁତ ପ୍ରତିଭା ଐତିହାସିକ ସତ୍ୟ । ଆଜିକାଲି ଯୁଗରେ ମଧ୍ୟ ଏଭଳି ଘଟଣାର ଏକାବେଳକେ ଅଭାବ ଦେଖାଯାଏ ନାହିଁ ।

 

ସଂପ୍ରତି ବ୍ରହ୍ମଦେଶରେ ପାଞ୍ଚ ବର୍ଷର ଗୋଟିଏ ବାଳକ ଧର୍ମ ବିଷୟକ ନାନା ଗୂଢ଼ତତ୍ତ୍ୱ ପ୍ରଚାର କରୁଅଛନ୍ତି । ତାଙ୍କ ମାହାତ୍ମ୍ୟ ଓ ପ୍ରତିଭା ଦେଖି ଶତ ଶତ ଲୋକ ତାଙ୍କର ଅନୁଗାମୀ ହେଉଅଛନ୍ତି । ଏପରି ଅସାମାନ୍ୟ ଓ ଅଲୌକିକ ପ୍ରତିଭା ଦେଖିଲେ “ଧର୍ମପଦ’’କୁ କିଂବଦଦନ୍ତୀର ଅମୂଳକ କଳ୍ପନା ବୋଲି କିଏ କହିପାରେ ? ଏକ ସମୟରେ ଶିଳ୍ପ ଓ ସ୍ଥାପତ୍ୟ ଉତ୍କଳରେ ଯେପରି ଉନ୍ନତିର ପରାକାଷ୍ଠା ଲାଭ କରିଥିଲା, ସେଥିରେ ‘‘ଏଭଳି ବାଳକର ଆବିର୍ଭାବ ସ୍ୱାଭାବିକ ମନେହୁଏ-

 

“ଧର୍ମପଦ”ରେ କାବ୍ୟକଳାର କୁଟିଳତା ବା ଶିଳ୍ପର ସୌକୁମାର୍ଯ୍ୟ ନିମନ୍ତେ ପ୍ରୟାସ ହୋଇନାହିଁ । ଏହି କିମ୍ବଦନ୍ତୀର ଅବଲମ୍ବନରେ ଖଣ୍ଡିଏ ଉପନ୍ୟାସ ଲେଖୁକାକୁ ମନେ ବିଚାରୁଥିଲି । ମାତ୍ର ତାହାର ଆକାର ଦୀର୍ଘ ହେବ ଏବଂ ତାହା ସମୟ ଓ ଧୈର୍ଯ୍ୟସାପେକ୍ଷ । କାରାଗାରରେ ମୋ ପରି ସାଧାରଣ ପ୍ରକୃତିର ଜଣେ ବନ୍ଦୀ ପକ୍ଷରେ ସେପରି ଧୈର୍ଯ୍ୟ ଓ ମନୋଽଭିନିବେଶ ସହଜ ନୁହେ ।

 

ତେଣୁ ସେ କଳ୍ପନା ଛାଡି ବାଲ୍ୟ ଅଭ୍ୟାସର ବଶବର୍ତ୍ତୀ ହୋଇ କେବଳ ପଦ ମିଳାଇ ‘‘ଧର୍ମପଦ’’ ଓ ସେହିପରି ଅନ୍ୟାନ୍ୟ କେତେକ ପଦ୍ୟ ଲେଖି କାରାର କରାଳ ବିଜନତାରେ । ଆତ୍ମପ୍ରସାଦ ଲାଭକରୁଥିଲି । କବିତାର ମୋହନ ମାଧୁରୀରେ ଆକୃଷ୍ଟ ନ ହେଲେ ସୁଦ୍ଧା ବିଜନବନ୍ଦୀର ନିଭୃତ ବିକ୍ଷିପ୍ତ ପ୍ରାଣର ସ୍ପନ୍ଦନରେ ସହାନୁଭୂତି କରି 'ଧର୍ମପଦ' ପଢ଼ିବାଦ୍ୱାରା ଉତ୍କଳବାସୀ ନିଜ ଜାତୀୟ ଗୌରବରେ କ୍ଷଣକ ଲାଗି ଅନୁପ୍ରାଣିତ ହେଲେ ପରମ ପ୍ରୀତି ଓ ଆହ୍ଲାଦ ଲାଭ କରିବି । ଇତି ।

 

ଗୋପବନ୍ଧୁ ଦାସ

Image

 

(୧)

 

ବାର ବରଷର ବାଳୁତ ପୁଅ ସେ

ବୁଦ୍ଧିମନ୍ତ ସୁକୁମାର,

ଦେଖି ନାହିଁ କିବା ଶୁଣି ନାହିଁ କେବେ

କିଏ ସେ ବାପା ତାହାର ।

ଜନନୀ-କୋଳରେ ବଢ଼ିଛି ଭୋଳରେ

ଆଜନମୁ ଅତି ସୁଖେ,

ମଅ ବୋଲି କେବେ ମାଛିକି ବୋଲିବା

ଆଣି ନାହିଁ ହେଲେ ମୁଖେ ।

ସ୍ୱାମୀଙ୍କ ବିରହ ଭୁଲିଛନ୍ତି ମାତା

ପୁଅ ବଦନ ଅନାଇଁ,

ଦେହରେ ଟିକିଏ ପଡ଼ିଗଲେ ଧୂଳି

ସହି ନ ପାରନ୍ତି ଚାହିଁ ।

ଶଇଶବ କାଳୁଁ କୁଳ କାରିଗରି,

ଶିଖାନ୍ତି ଅତି ଯତନେ,

ଯାହା ଦେଖେ ଶୁଣେ ଶ୍ରୁତିଧର ପରି

ସବୁ ସେ ରଖଇ ମନେ ।

ଶିଶୁଗଣ ମେଳେ ଦାଣ୍ଡଧୂଳି ଖେଳେ

କରେ କେତେ ନବ ସୃଷ୍ଟି,

ତୋଳଇ ଦେଉଳ ଗଢ଼ଇ ଅଟ୍ଟାଳୀ

ଧନ୍ୟ ବିଚକ୍ଷଣ ଦୃଷ୍ଟି ।

ଦେଖି କାରିଗରି ତା କଳା ଚାତୁରୀ

ଆଶ୍ଚର୍ଯ୍ୟ ମଣନ୍ତି ଜନେ,

କହନ୍ତି, "ଆୟୁଷ ଥିଲେ ଏ ପିଲାଟି

ହେବ କେତେ ଲୋକେ ଜଣେ ।"

ପଚାରଇ ପୁଅ ଯେବେ ଶିଳ୍ପତତ୍ତ୍ଵ

କହନ୍ତି ମାତା ଉତ୍ତରେ,

"ପଢ଼ିଲେ ଜାଣିବୁ; ସବୁ ଆରେ ଧନ

ପୋଥି ଅଛି ଆମ ଘରେ ।"

ପାଞ୍ଚ ବର୍ଷ ବେଳେ ଗ୍ରାମ ଚାଟଶାଳେ

ଓଝା ଛୁଆଁଇଲେ ଖଡ଼ି,

ଚାହୁଁ ଚାହୁଁ ପୁଅ ଅଳପ ଦିନରେ

ଗଲା ସବୁ ପାଠ ପଢ଼ି ।

ଗୀତା, ଭାଗବତ ପୁରାଣ ଚରିତ

ହୋଇଲା ଅଭ୍ୟାସ ତାର,

ଦେବାଳୟ ତୋଳା ପୁଷ୍କରିଣୀ ଖୋଳା

ହିସାବ ଯେତେ ପ୍ରକାର ।

ସଙ୍ଗ ଚାଟ କେତେ ସହି ନ ପାରନ୍ତି

ଆନେ କରନ୍ତି ଆଦର,

ସମସ୍ତଙ୍କଠାରେ ସମ ସ୍ନେହ ତାର

ନାହିଁ କେହି ପରାପର ।

ଚାହାଳିରୁ ଆସି ଘରେ ଶିଳ୍ପଶାସ୍ତ୍ର

ପଢ଼େ କରି ଏକ ଲୟ,

କାଠ ପାଷାଣରେ ଗଢ଼ଇ ମୂରତି

କେତେ ରଥ, ଦେବାଳୟ ।

ଦିନେ ଚାହାଳିରୁ ଫେରିଆସି ପୁଅ

ଉଭାହେଲା ମାତା ପାଶେ ;

ଆଖି ଥନଥନ, ବଦନ ମଳିନ

ତୁଣ୍ତରେ କଥା ନ ଆସେ ।

ପୁଅକୁ ଅନାଇ ମାତା ଅତି ଛନ୍ନେ

ପଚାରନ୍ତି ବେଗେ ଦୁଃଖେ,

"କିପାଇଁରେ ଧନ, ବିରସ ତୋ'ମନ

ହସ ନାହିଁ କିପାଁ ମୁଖେ ?

ଚାହାଳିରୁ ଫେରି ଆନ ଦିନ କହୁ

ହରଷରେ କେତେ କଥା,

ଆଜି ତୋ ଏ ରୀତି ଦେଖି ମୋର ଭୀତି

ଲଗାଇ ପରାଣେ ବଥା ।

ଦେଇଛନ୍ତି ଦଣ୍ଡ ଅବଧାନେ ଅବା

ଗାଳିଦେଲେ ଆନ ଚାଟେ,

ହୀନିମାନ କରି କିଏ କି କହିଲା

କିବା ଦାଣ୍ତେ ବାଟେ ଘାଟେ ?

ଫେଡ଼ି କହ ବାବୁ, ଘଟିଛି ଯା ସବୁ

ତୁଟୁ ମୋ ମନୁ ସନ୍ଦେହ,

ମୁଁ ତ ଜାଣେ ତୋର ଗୁଣ ଆଚରଣେ

ସମସ୍ତେ କରନ୍ତି ସ୍ନେହ ।

କାନ୍ଦ କାନ୍ଦ ହୋଇ କିପାଇଁ ରେ ବାଇ

କଥା ନ ଆଣୁଛୁ ମୁଖେ ?

ନ ଜାଣୁ କି ବାବୁ, ତୋ’ ଏ ଭାବ ଦେଖି

ବଜ୍ର ପଡ଼ଇ ମୋ ବୁକେ !

ଲକ୍ଷେ ଦେବଦେବୀ- ପାଦ ସେବି ସେବି

ପାଇଛିରେ ତତେ ଧନ !

କେତେ ମରି ମରି ରଙ୍କୁଣୀ ସଙ୍ଖାଳି

ତୁ ମୋର ଜୀବ-ଜୀବନ ।

ତତେ ଚାହିଁ ସିନା କାଟୁଛି ମୁଁ ଦିନ

ଏକାକିନୀ ଏତେ କାଳ,

କହ ମନକଥା ମୋ କୁଳ-ଚନ୍ଦ୍ରମା

ଭିକାରିଣୀ-ଗଳାମାଳ ।"

ମାତା ଆଶ୍ଵାସନା ପାଇ ପଛେ ପୁଅ

ତେଜିଣ ମନୁ ସନ୍ତାପ,

"କହ ମା, ସତେ କି ଅଛି ଆମ କୁଳ;

କହ କିଏ ସେ ମୋର ବାପା ?"

କହନ୍ତି ଜନନୀ, "କେବେ ତ ଏ କଥା

ପଚାରି ନ ଥିଲୁ ଥରେ,

ଚାହାଳିରୁ ଆସି କିପାଁ ବାବୁ, ଆଜି

ପଚାରୁ ଏଡ଼େ କାତରେ ?"

କହେ ପୁଅ, ‘‘ଆଜି ଚାହାଳିରେ ଚାଟେ

କହିଲେ ମତେ ଯେ କଥା,

ଲାଜ ଅପମାନେ ଗଲି ମୁହିଁ ସଢ଼ି

ଟେକି ନ ପାରିଲି ମଥା ।

ଚାହାଳିରେ ଯେବେ ଲେଖୁଥିଲି ପାଠ

ଗୋଟାଳି ମୋ ଗଲା ଗଡ଼ି,

ନିକଟ ପିଲାକୁ କହିଲି ହେ ଭାଇ,

ବଢ଼ାଇ ଦିଅ ସେ ଖଡ଼ି ।

ମୋ କଥାରେ ସେ ତ ଦେଲା ନାହିଁ ଖଡ଼ି

କହି କଲା ଉପହାସ,

‘ଭାଇ ଡାକି ଆଜ୍ଞା- ଦିଏ ଅବାବୁଆ

ଏହାର କେଡ଼େ ସାହାସ !’

ନ କହିଣ କିଛି ଅଳପେ ହସିଲେ

ତହିଁ ଆନ ପିଲାମାନେ,

ଲାଜେ ମଥା ପୋତି ଗୋଟାଳି ଉଠାଇ

ଆଣି ବସିଲି ମୋ ଥାନେ ।

ନ କରି ସଙ୍କୋଚ ଫେଡ଼ି ସତ କହ

ଛୁଇଁକରି ଏ ମୋ ଦେହ,

ଆମ କୁଳକଥା, କାହାନ୍ତି ମୋ ପିତା,

ଯାଉ ମୋ ଭ୍ରମ ସନ୍ଦେହ ।"

କୋପେ ଜରଜର ଜନନୀ ସତ୍ୱର

ଭାଷନ୍ତି ଉଚ୍ଚେ ବଚନ,

"କିଏ ସେହୁ ପିଲା ଦେଲା ଏହିପରି

ଅପମାନ ଅକାରଣ। ?

ତା ମା’ ଏଡ଼େ ସତୀ, ମୋ ପୁଅକୁ ପୁଣି

କହେ ସେ ଅଣବାବୁଆ

ତା କଥାରେ ଛଳ କରି କିବା ଫଳ

ସେ ବି ତ ଅଜ୍ଞାନ ଛୁଆ ।

ବୁଢ଼ା ବୁଢ଼ୀମାନେ କହୁଥାନ୍ତି ଯାହା

ଶୁଣିଛି ମୁଁ ପିଲାବେଳେ,

ପୂରୁବ ପୁରୁଷ ଯଶ ପଉରୁଷ

ବୁଝ ବାବୁ, ଏଥୁଁ ହେଳେ ।

ସୃଷ୍ଟି ଆଦ୍ୟକାଳୁଁ ବିଶ୍ଵକର୍ମା, ତହୁଁ

ଆମ କୁଳ ଉତପତ୍ତି,

ଏ କୁଳର ବଡ଼- ବଡ଼େ ରଖିଛନ୍ତି

କେତେ ଅକ୍ଷୟ କୀରତି ।

ଇନ୍ଦ୍ରଦ୍ୟୁମ୍ନ ରାଜା ତୋଳାଇଲେ ଯେବେ

ଶ୍ରୀକ୍ଷେତ୍ରେ ବଡ଼ ଦେଉଳ,

ହକାରିଣ ନାନା ଦେଶୁ କାରିଗର

କରାଇଲେ ଆଗେ ଠୁଳ ।

ପରଖି ସକଳେ ଯୋଗ୍ୟ ଶିଳ୍ପୀ ବାଛି

ଲଗାଇଥିଲେ ସେ କାମେ,

ତୋ ପୂର୍ବପୁରୁଷେ- ଶିରେ ଦେଲେ ଶାଢ଼ୀ

ପୂଣ୍ୟ ନୀଳାଚଳ ଧାମେ ।

କେତେ କାଳ ଅନ୍ତେ ସେ ମନ୍ଦିର ଯେବେ

ସଂସ୍କାର କଲେ ଯଯାତି,

ତୋ ପୂର୍ବପୁରୁଷେ ସେତେବେଳେ ତହିଁ

ରଖିଥିଲେ ବଂଶ-ଖ୍ୟାତି ।

ଶେଷେ ସେ ଦେଉଳ ତୋଳାଇଲେ ପୁଣି

ଶ୍ରୀ ଅନଙ୍ଗଭୀମ ରାଏ,

ଉତ୍କଳେ ଅକ୍ଷୟ କୀର୍ତ୍ତିସ୍ତମ୍ଭ ପ୍ରାୟ

ଶୋଭେ ଯାହା ଆଜିଯାଏ ।

ତୋ ପୂର୍ବପୁରୁଷ- ବୁଦ୍ଧି କାରିଗରି

ରହିଅଛି ତହିଁ ଜାଣ,

ଏଥିରୁ ରେ ବାବୁ, ବୁଝ ତୁ ଆପଣା

ବଂଶବଡ଼ିମା ପ୍ରମାଣ ।

ଖଣ୍ଡଗିରି-ଦେହେ ବିରଚିଲେ ଗୁମ୍ଫା

ଏହି ବଂଶ କାରିଗରେ,

ଯହିଁ ଖାରବେଳ- ଶାସନ-ନିଦେଶ

ରାଜେ ଅମର ଅକ୍ଷରେ ।

ରାଣୀହଂସପୁରେ ଶେଷ ଜୀବନରେ

ରାଣୀ ସଙ୍ଗେ ନରପତି,

ଯୋଗିଜନ ମେଳେ ରହିଲେ ନିଶ୍ଚଳେ

ତେଜି ରାଜ୍ୟ ହେଲେ ଯତି ।

ବୈତରଣୀ-କୂଳେ ଯଯାତିକେଶରୀ

କଲେ ଯେବେ ମହାଯାଗ,

ସରଗୁଁ ଦେବତା ଆସିଥିଲେ ତହିଁ

ନେବାଲାଗି ଯେଝା ଭାଗ ।

ବନ ପରବତେ ବୈତରଣୀ-ସ୍ରୋତେ

ହେଲା ବେଦ ପ୍ରତିଧ୍ୱନି,

ଯଜ୍ଞ-ଅନଳରୁ ଉଠିଲେ ବିରଜା

ଉଜ୍ଜ୍ୱଳି ଯେବେ ଅବନୀ ।

ଗଢ଼ିଲେ ଯେ ଶିଳ୍ପୀ ପୁଣ୍ୟ ଶୁଭସ୍ତମ୍ଭ

ସପ୍ତମାତୃକା ମୂରତି,

ନ କର ସଂଶୟ ଜାଣ ଆପଣାକୁ

ତାଙ୍କରି ବଂଶ-ସନ୍ତତି ।

ଏକାମ୍ର କାନନେ ଲଲାଟେନ୍ଦୁ-କୀର୍ତ୍ତି

ଅନୁପମ ଦେବାଳୟ,

ନିର୍ମିଲେ ଯେ, ତାଙ୍କ ରକ୍ତ ତୋ ଶରୀରେ

ତୁ ତାଙ୍କ କୁଳ-ତନୟ ।

ବାରବାଟୀ ଦୁର୍ଗ ମରାମତି ଲାଗି

ଶ୍ୱଶୁରେ ଗଲେ କଟକ,

ଯଥାକାଳେ କାମ ନ ସରିଲା ବୋଲି

ରହିଲେ ତହିଁ ଅଟକ ।

ବାହୁଡ଼ି ନାହାନ୍ତି ଘରକୁ ସେ ଆଉ

କଟକେ ତେଜିଲେ ପ୍ରାଣ,

ସେହି ଭାବନାରେ ମଲେ ଶାଶୁ ମୋର

ଶୋକେ ହୋଇ ହତଜ୍ଞାନ ।

ଯେଉଁ ଦିନୁ ତୋର ବାପା ଯାଇଛନ୍ତି

ଘର ଛାଡ଼ି ପରବାସ,

ମୋ ଦେହରୁ ବାବୁ, ଶୁଖିଛି ରକତ

ନାହିଁ ମୋ ଜୀବନେ ଆଶ ।

ଦିନେ ଗଲେ ମତେ ଯୁଗ ପରି ଲାଗେ

ମରୁଛି ମୁଁ ଭାଳି ଭାଳି,

ରହିଅଛି ସିନା ତୋ ମୁହଁ ଅନାଇ

ତୁ ମୋ ନୟନ ସଙ୍ଖାଳି ।"

ଏହିପରି କଥା କହୁଁ କହୁଁ ମାତା

ହୋଇଲେ ଅତି ବିକଳ,

ତଳେ ମୁହଁ ପୋତି ବିଳପିଲେ ସତୀ

ବହେ ଅଶ୍ରୁ ଅବିରଳ ।

"କିପାଇଁ କହ ମା, କାନ୍ଦୁଛୁ କାତରେ"

ଚକିତେ ପଚାରେ ପୁଅ,

ବସି ମାତା କୋଳେ ବସନ ଅଞ୍ଚଳେ

ପୋଛେ ତାଙ୍କ ନେତ୍ରୁ ଲୁହ ।

"କାହାନ୍ତି ମୋ ବାପା, କେତେ ଦିନ ହେଲା

କି କାର୍ଯ୍ୟେ ଗଲେ ସେ କାହିଁ ?

କେତେ ଦୂର ପଥ ଏଥୁଁ ସେ ରାଇଜ

ମୁଁ କି ନ ପାରିବି ଯାଇ ?

ନ ଆସେ କି ତହୁଁ ବାରତା ଏଠାକୁ

ଅଛନ୍ତି ଟିକି ସେ ଭଲେ ?

ଯିବାର ଉପାୟ କହ ମା, ତୁରିତେ

ବାର୍ତ୍ତା ଆଣିବି ମୁଁ ଗଲେ ।"

ପୁଅର ମଧୁର କୋମଳ ବଚନେ

ମାତା ପାଇଲେ ଆଶ୍ୱାସ,

ଚୁମ୍ବି ପୁତ୍ରମୁଖ କହନ୍ତି ଆହ୍ଲାଦେ

ପକାଇ ଦୀର୍ଘ ନିଃଶ୍ଵାସ ।

"ମରିଯାଏଁ ମୁଁ ଲୋ, କି ବିକଳେ ଲୁହ

ପୋଛି ଦିଅଇ ମୋ ଧନ,

ଏହି ଭରସାରେ ବାର ବର୍ଷ ହେଲା

ରହିଛି ଧରି ଜୀବନ ।

ବାର ବର୍ଷ ହେଲା ଯାଇଛନ୍ତି ବାପ

ଦେଉଳ ଗଢ଼ିବା ପାଇଁ,

ତୋଳାଉଛନ୍ତି ଯା ନରସିଂହ ଦେବ

ଗଜପତି ନରସାଇଁ ।

ଚନ୍ଦ୍ରଭାଗା ତୀର୍ଥେ ସାଗର-ପନ୍ତାରେ

ଗଢ଼ାହେଉଛି ଦେଉଳ;

କହିଛନ୍ତି ରାଜା, ‘କଳା କଉଶଳେ

ବିଶ୍ଵେ ସେ ହେବ ଅତୁଳ’ ।

ଶିବାଇ ସାନ୍ତରା ପୁରତ ପଧାନ

ବିଶ୍ଵକର୍ମା-କୁଳ ରାଇ

ଭଲ କାରିଗର ବାଛି ଲଗାଇଲେ

କାମେ ବାରଶ ବଢ଼ାଇ ।

ସେହି ଡାକରାରେ ଗଲେ ଯେ ତୋ ପିତା

ବାହୁଡ଼ି ନାହାନ୍ତି ଘରେ;

ସେତେବେଳେ ତୁ ମୋ ଗର୍ଭେ ଚାରି ମାସ,

ଜନ୍ମିଲୁ ଛ’ ମାସ ପରେ ।

କହୁଥିଲେ ଲୋକେ, ‘ହେବ ସେ ଦେଉଳ

ଧର୍ମଦେବତାଙ୍କ ରଥ,

ପୂର୍ବେ ଦୁର୍ଗ ରୂପେ ଉତ୍କଳର ପୁଣି

ଓଗାଳିବ ସିନ୍ଧୁ-ପଥ ।

ଧର୍ମଦେବତାଙ୍କ ଦେଉଳରେ ବାପ

କରୁଛନ୍ତି ବୋଲି କାମ,

ସୁମରିଣ ତାଙ୍କୁ ଶରଧାରେ ଦେଲି

‘ଧର୍ମପଦ’ ତୋର ନାମ ।

ଦେଖି ନାହିଁ ତୀର୍ଥ ଶୁଣିଛି କେବଳ

‘ସାତ ଥର ଯିବ ଗଙ୍ଗା,

ଥରେ କେହି ଯେବେ ଯିବ ଚନ୍ଦ୍ରଭାଗା

ମୁହଁ ପଡ଼ିଯିବ ରଙ୍ଗା’ ।

ଯିବା ଦିନୁଁ ବାପ ବାର ବର୍ଷ ହେଲା

ପାଇ ନାହିଁ ମୁଁ ବାରତା,

ତାଙ୍କ ଲାଗି ନିତି ପନ୍ଥାଇ ବସାଇ

ପୂଜଇ ପନ୍ଥ-ଦେବତା ।

ଅଖଣ୍ଡଳ ଜାଳି ଗ୍ରାମଦେବତାଙ୍କ

ପାଦେ ପଡ଼େ ଅନୁକ୍ଷଣ

ରବିବାର-ବ୍ରତ ପାଳି ମୁଁ ପଶିଛି

ଧର୍ମଦେବତା ଶରଣ ।’’

କହେ ପୁଅ ତହୁଁ, "ଯିବି ଚନ୍ଦ୍ରଭାଗା,

କରିବି ବାପାଙ୍କୁ ଦେଖା,

ଆଣିବି ତାଙ୍କର କୁଶଳ ବାରତା

ତାଙ୍କ ନିଜ ହାତଲେଖା ।’’

"ମୋ ନେତ୍ରପିତୁଳି, ଛାଡ଼ି କି ରେ ତତେ

ପାରିବି ମୁଁ କ୍ଷଣେ ବଞ୍ଚି ?

ମୋ ଅନ୍ଧାର ଘରେ ତୁ ଏକା ପ୍ରଦୀପ

ମୋ ହୃଦ-ସିନ୍ଧୁକ କଞ୍ଚି ।

ଆହୁଲା ତୁ ମୋର ଜୀବନ-ବୋଇତେ

ଅନ୍ଧର ଅଶ୍ରା-ଲଉଡ଼ି;

ତୋ’ ବିନେ ନ ଚଳି ଯିବି ସିନା ବାବୁ

ଶୋକ-ସିନ୍ଧୁ-ଜଳେ ବୁଡ଼ି ।’’

କହେ ପୁଅ ପୁଣି ବଳାଇ ସାଦରେ

"ଯିବି ନିଶ୍ଚେ ବାପ ପାଶ,

ମନତୋଷେ ମା ଗୋ ! ଦିଅ ଅନୁମତି

ଫେରିବି ନ ପୂରୁ ମାସ ।

ବାପ ସଙ୍ଗେ ତହିଁ ଦେଖିବି ସୁଯୋଗ୍ୟ

ଜାତିପୁଅ ଶତ ଶତ,

ଦେଖିବି କିପରି ଗଢ଼ା ହେଉଅଛି

ଧର୍ମଦେବତାଙ୍କ ରଥ ।

ଚନ୍ଦ୍ରଭାଗା ତୀର୍ଥେ ସ୍ନାନ କରି ସୁଖେ

ଦେଖିବି ସୂର୍ଯ୍ୟ-ଉଦୟ,

କର ନାହିଁ ଭୟ କହ ମା, ବାପାଙ୍କୁ

ଦେବି ମୁଁ କି ପରିଚୟ ?"

କହନ୍ତି ମା, "ବାବୁ, ଯିବାଲାଗି ଯେବେ

କରିଅଛୁ ଦୃଢ଼ପଣ,

କିପାଁ ନିବାରିବି, ନିବାରଣେ ସିନା

ହେବ ତୋ ମନେ କଷଣ ।

ଦେଖି ବାପ ତତେ ହେବେ ହରଷିତ

ହୃଦେ, ତୁ ଯିବୁ ପରତେ,

ଦେଖିବୁ ଆବର ଓଡ଼ିଆ ଶିଳ୍ପୀର

ଅଦ୍ଭୁତ କର୍ମ ଜଗତେ ।

ବୟସରେ ତୁହି ହେଲେ ହେଁ ବାଳୁତ

ବୁଦ୍ଧି ତୋର ସୁକୁମାର,

ବୁଝାଇ ବିଶେଷେ କହିବି ମୁଁ କିସ ?

କର ଯାହା ତୋ ବିଚାର ।"

କହିଲେ ଆବର ବାପ ନାମ ତାର

ଭୂମିରେ ସେ ଦେଇ ଲେଖି,

"ବାପ ପୁଅଙ୍କର ହେବ ଚିହ୍ନାଚିହ୍ନି

ହେବା ମାତ୍ରେ ଦେଖାଦେଖି ।

ତୋ ରୂପ ଆକୃତି ପିତୃ-ପ୍ରତିକୃତି

ଏକା ଛାଞ୍ଚେ ଯେହ୍ନେ ଢଳା,

ନେତ୍ରେ ନାସା ଆସ୍ୟ ଲଲାଟେ ପ୍ରକାଶ

ବାପ-ମୁଖ ଷୋଳକଳା ।

ନୟନେ ନୟନ ହେଲେ ଭେଟାଭେଟି

ହେବ ପରାଣ-ମିଳନ,

ଯେ ଯାହାର ତାକୁ ଲୋଡ଼େ ସେ ସହଜେ

କରିବାକୁ ଆଲିଙ୍ଗନ ।

ତଥାପି ନ ବଳେ ମନ ତତେ ଏକା

ଛାଡ଼ିବାକୁ ଏତେ ଦୂର"

"ନ ଡର ଲୋ ବୋଉ ସଙ୍ଗେ ଯିବ ମୋର

ଘର ବଳିଆ କୁକୁର ।

ବଳିଆ ବାପାଙ୍କୁ ନ ଚିହ୍ନିଲେ ତାକୁ

ବାପା ଚିହ୍ନିବେ ନିଶ୍ଚୟ,

ଗ୍ରାମ ନାମ ମୋର ଜନମ-ବୃତ୍ତାନ୍ତ

କହି ଦେବି ପରିଚୟ ।"

"ମରି ଯାଏ ଆହା ମୋ ଧନମାଳିର

କେଡ଼େ ବୁଦ୍ଧି କି ସାହସ ?

ଜଗନ୍ନାଥେ କୃପା- କଲେ ତୁ ରଖିବୁ

କୁଳ-ଗଉରବ ଯଶ ।’’

Image

 

(୨)

 

ତ୍ରୟୋଦଶୀ ତିଥି ଶୁଭ ବେଳ ଦେଖି

ପୁଅ କଲା ଅନୁକୂଳ,

ଜାଗୁଳାଈ ପୂଜି କାନିରେ ଜନନୀ

ବାନ୍ଧିଲେ ପ୍ରସାଦ-ଫୁଲ ।

ସ୍ଵାମୀ ଲାଗି ପୁଣି ବାଡ଼ି ବରକୋଳି

ଦେଲେ ଯାଉଁଳିରେ ବାନ୍ଧି,

କହିଲେ,"ଏଥିରେ ବାପାଙ୍କ ଶରଧା

ନେବୁ ଯତନେ ସମ୍ପାଦି ।

ବଳିଆ ସଙ୍ଗତେ ବାଡ଼ି-ବରକୋଳି

ହେବ ଆନ ପରିଚୟ,

ଲକ୍ଷ୍ମୀ ନରସିଂହ ଶ୍ରୀଦୁର୍ଗା ମାଧବ

ହୁଅନ୍ତୁ ତୋର ଆଶ୍ରୟ ।"

ବୀର ଧର୍ମପଦ ମାତା ଆଶୀର୍ବାଦ

ଘେନି ହୋଇଲା ବାହାର,

ଯାଏ ପୂର୍ବ ମୁଖେ ବଳିଆ କୁକୁର

ଚାଲେ ପଛେ ପଛେ ତାର ।

ଅପନ୍ତରା ବାଟ କେତେ ବେଣାପାଟ

ବନ ବିଲ ନଦୀ ସର,

ଚାଲେ ଧର୍ମପଦ ନ ଗଣି ପ୍ରମାଦ

ଦିବା ନିଶି ନିରନ୍ତର ।

ଗୁଡ଼କଙ୍କ ପଛେ ଗୋଡ଼ାଏ ଉତ୍ସାହେ

ବଳିଆ ଧାଏଁ ତା ପଛେ,

ଚନ୍ଦ୍ରଭାଗା-ଯାତ୍ରୀ ଧର୍ମପଦ ବୋଲି

ଲେଖେ କାହିଁ ବାଟେ ଘାଟେ ।

ପଚାରି ପଚାରି ଚନ୍ଦ୍ରଭାଗା ତୀର୍ଥେ

ହେଲା ଯାଇଁ ପରବେଶ,

ଲାଗିଛନ୍ତି ଯହିଁ, ବାରଶ ବଢ଼ାଇ

ବିଶ୍ରାମ ନାହିଁ ନିମେଷ ।

ଦିନ ରାତି ଯହିଁ ଜଣା ନ ପଡ଼ଇ

ମୁଖରିତ ନିରନ୍ତର,

ଭୋଜନ ଶୟନ ଛାଡ଼ି ଲାଗିଛନ୍ତି

ପ୍ରାଣପଣେ କାରିଗର ।

Image

 

(୩)

 

ବାରବରଷର ସରଳ ବାଳକ

ସେ ଅଚିହ୍ନା ସ୍ଥାନେ ଏକା;

ଚକିତେ ଚୌଦିଗେ ଅନାଇଁ ଚିନ୍ତିତ

ବାପର ନପାଇ ଦେଖା ।

ବିଚାରେ,"କାହାକୁ ପଚାରିବି ଏଥି

କିଏ ବା ଦେବ ଉତ୍ତର,

ସର୍ବେ କର୍ମେ ରତ ଏକକୁ ଆରେକ

ଚାହିଁବାକୁ ନାହିଁ ତର ।"

ଅବସର ବୁଝି କୋଳି ବିକ୍ରି ବ୍ୟାଜେ

ବୁଲେ ସେ ଜନ ଗହଳେ,

ରସାଳ ପୃଥୁଳ ସେ ବଦରି ଫଳ

ଯେ ଦେଖେ ତା ମନ ବଳେ ।

ଜଣେ କେହି ଶିଳ୍ପୀ ଘର କଥା ଭାବି

ମରମେ ଆହତ ଅତି,

କହେ, ‘‘ମୋ ବାଡ଼ିରେ ଫଳୁଥିବ ଆହା !

କେତେ କୋଳି ଏହିମତି ।"

କୋଳିବିକା ପିଲା- ମୁହଁକୁ ଅନାଇଁ

କିଛି ନ ପାରଇ କହି,

ନ ଜାଣେ ଅପୂର୍ବ ବାତ୍ସଲ୍ୟ-ମମତା

କିପାଁ ହୃଦେ ଉପୁଜଇ ।

ବାଳକ ବଚନ ଶୁଣି କୁତୂହଳେ

ପୂଲକେ ପୂରେ ପରାଣ,

କୁକୁରକୁ ଦେଖି ଅନ୍ତର ଇଙ୍ଗିତେ

କରେ ସେ ସତ୍ୟ ପ୍ରମାଣ ।

ଗ୍ରାମ ନାମ ଆଦି ପଚାରି ପାଇଲା

ଯେବେ ପୁତ୍ର-ପରିଚୟ;

ବାଳକ-ବଦନ ଚୁମ୍ବିଲା ସେନେହେ,

ଚରଣେ ନମେ ତନୟ ।

ବାପ ପୁଅ ବେନି ଗଲେ ବସାଘରେ

ପକାଇଲେ କେତେ କଥା,

କହେ ଶିଳ୍ପୀ, "ବେଗେ ଯାଉଛି କାମକୁ

ନ ଗଲେ ନ ରହେ ମଥା ।"

‘‘କିପାଁ ଏ ଉଦ୍‌ବେଗ ?’’ ପାଇ ମନେ ଖେଦ

ପଚାରେ କାତରେ ପୁଅ,

ବୃଦ୍ଧ ଶିଳ୍ପୀ ମୁଖେ ବଚନ ନ ସ୍ଫୁରେ

ନୟନୁ ବହଇ ଲୁହ ।

କ୍ଷଣକ ଅନ୍ତରେ କହେ ବୃଦ୍ଧ ପୁଣି

"ଥିଲା ମୋ ପୂର୍ବ ସୁକୃତ,

ଅନ୍ତକାଳେ ତୋତେ ଦେଖି ଏଥୁ ବାବୁ

ହେଲି ଏବେ କୃତକୃତ୍ୟ ।

ବାର ବର୍ଷ ହେଲା ଲାଗିଲାଣି କାମ

ମୁଦା ନ ହେଲା ଦେଉଳ,

କାଳ ଅତିକ୍ରମେ ରାଜା ନରସିଂହ

ଦାରୁଣ ଦୁଃଖେ ଆକୁଳ ।

ଦୁଇ ଦିନ ମଧ୍ୟେ ପୂରିବ ଦେଉଳ

ନ ରହିବ କିଛି ଶେଷ,

'ନ ହେଲେ କାଟିବି ବଢ଼ାଇଙ୍କ ମୁଣ୍ଡ'

ହୋଇଛି ରାଜା ଆଦେଶ ।

ଦୁଇ ଦିନୁଁ ଦିନେ ହେଲାଣି ଅତୀତ

ଆଉ କାଲି ଦିନ ବାକୀ,

ନିରାଶେ କାତର ସର୍ବେ କାରିଗର

କାମକୁ ନ ପାଏ ଆଖି ।

ନଦୀ-ଗର୍ଭେ ହେଲା ଦେଉଳ ପତନ

ରହିଲା ତହିଁ କି ଦୋଷ,

କେଜାଣି କାହାର ଅପରାଧେ ଅବା

ଗ୍ରହରାଜ କଲେ ରୋଷ !

କଲେ ଯେତେ ଯତ୍ନ ନ ପୂରେ ଦେଉଳ

ନ ବସେ ଦହି-ନଉତି,

ଉପାୟ ନ ଦେଖି କାରିଗରଙ୍କର

ହଜିଲାଣି ବୁଦ୍ଧି ବୃତ୍ତି ।

ଛାମୁରୁ ଆଦେଶ- ମନ୍ଦିର ମୁକୁଟେ

ହେବ ଚୁମ୍ବକ ଖଚିତ,

ପ୍ରଭାବେ ଯାହାର ମହୋଦଧି-ବକ୍ଷେ

ନ ଯିବ ଶତ୍ରୁ ବୋଇତ ।

ବାରଶ ବଢ଼ାଇ ଏକୁଁ ଏକ ସର୍ବେ

ଶିଳ୍ପବିଦ୍ୟା-ବିଶାରଦ,

ଗଢ଼ିଛନ୍ତି କେତେ ଦେଉଳ ଅଟ୍ଟାଳି

ସେତୁ ଦୁର୍ଗ ଜନପଦ ।

ଯେଝା ବୁଦ୍ଧିବଳେ ଗଢ଼ନ୍ତି ପଥର

ଖସି ସବୁ ପଡ଼େ ତଳେ,

ଦେଉଳ ମୁଦିବା ବୁଦ୍ଧି ନ ଦିଶଇ

ନିରସ୍ତ ଏବେ ସକଳେ ।

ଆଜି ନିଶି ଶେଷେ କାଲି ପ୍ରଭାତରେ

ହୋଇବ ରବି-ଉଦୟ;

ପର ଦିନ ରବି ଉଇଁଣ ଦେଖିବେ

ବାରଶ ବଢ଼ାଇ କ୍ଷୟ ।

ଆଜି ସଞ୍ଜବେଳେ କରିବେ ବିଚାର

ବସି ସବୁ କାରିଗର,

ଯାଉଛି ମୁଁ ତେବେ, ରହି ଏଥି ବାବୁ

ନିଶ୍ଚିନ୍ତେ ବିଶ୍ରାମ କର ।

ବାପର ବିଷାଦ ଦେଖି ଧର୍ମପଦ

ଆଶ୍ଚର୍ଯ୍ୟେ କହଇ ବାଣୀ-

"ସତେ ନରସିଂହ ମହାରାଜା ଦେବ

ବାରଶ ବଢ଼ାଇ ହାଣି ?

ଉତ୍କଳର ଶିଳ୍ପୀ- କୁଳ ସୁପ୍ରସିଦ୍ଧ

ଦକ୍ଷ କାରିଗରଗଣ ,

ମିଳୁଛନ୍ତି ଯହିଁ, ସେ କାର୍ଯ୍ୟ କି କେବେ

ରହିପାରେ ଅପୂରଣ ?

ନ ଥିଲେ ଆପତ୍ତି ଦିଅ ଅନୁମତି

ସଭାସ୍ଥଳେ ଯିବା ପାଇ ?

ଶିଳ୍ପ-ଗୂଢ଼ ପ୍ରଶ୍ନ ଶୁଣିବି, ଦେଖିବି

ବାର ଶତ ଜାତି ଭାଇ ।"

ବାପ ପୁଅ ବେନି ତତକ୍ଷଣେ ତହୁଁ

ଚଳିଗଲେ ସଭାସ୍ଥଳେ,

କଲେ ତର୍କ ଯୁକ୍ତି ଉକ୍ତି ପ୍ରତିଉକ୍ତି

ସେଝା ବୁଦ୍ଧି କଉଶଳେ ।

ରଥ ଦେବାଳୟ- ଗଠନ-ନିର୍ଣ୍ଣୟ

ଚୁମ୍ବକର ତତ୍ତ୍ଵମାନ,

ବୃଦ୍ଧ ଶିଳ୍ପୀଗଣେ କଲେ ଆଲୋଚନା

ଦେଖାଇ ଶାସ୍ତ୍ର-ପ୍ରମାଣ ।

ରାତି ଅଧଯାଏ ଚାଲିଲା ବିଚାର

ନହେଲା କିଛି ମୀମାଂସା,

ଉପାୟ ନ ପାଇ ବାରଶ ବଢ଼ାଇ

ଛାଡ଼ିଲେ ପରାଣ ଆଶା ।

ଯୋଡ଼ି କର ବେନି ସବିନୟ ବାଣୀ

କହେ ଶେଷେ ଧର୍ମପଦ-

"ନୀଳାଚଳେ ଯେବେ ସତ୍ୟ ଜଗନ୍ନାଥ,

ନ ହେବେ କିଛି ଆପଦ ।

ଏକାମ୍ର କାନନେ ସତ୍ୟେ ପ୍ରତିଷ୍ଠିତ

ଯେବେ ପ୍ରଭୁ ଲିଙ୍ଗରାଜ,

ନ ସହିବ କେବେ ନିନ୍ଦା ଅପଖ୍ୟାତ

ଉତ୍କଳ-ଶିଳ୍ପୀ-ସମାଜ ।

ଯାଗାନଳୁ ଯେବେ ସତ୍ୟ ବେଦମନ୍ତ୍ରେ

ଉଠିଥିବେ ବୀରଜାଈ,

ମୁଣ୍ଡ କଟା ହୋଇ ନ ମରିବେ ଏଥି

କେବେ ବାରଶ ବଢ଼ାଇ ।

ମୁଁ ଅତି ସାମାନ୍ୟ ଶିଶୁ ଅକିଞ୍ଚନ

ଜାତ ବିଶ୍ୱକର୍ମା-କୁଳେ,

ଶିଳ୍ପୀ-ସାମନ୍ତଙ୍କ ହେବ ଯେବେ ଆଜ୍ଞା

ହାତ ଦେବି ଏ ଦେଉଳେ ।

ଦିନକ ମଧ୍ୟରେ ମୁଦିବି ଦେଉଳ

ମନେହୁଏ ମୋ ବିଶ୍ୱାସ,

ମାଗେଁ ଏ ଆଦେଶ ଶିଳ୍ପୀ-ସାମନ୍ତଙ୍କ

ଚରଣେ ମୁଁ ଦୀନ ଦାସ ।’’

ବାଳକ-ବଚନ ଶୁଣି ସଭାଜନ

ବିସ୍ମିତ ହେଲେ ସକଳ,

କହିଲେ, ‘‘ଏ କଥା ଅତି ଅସମ୍ଭବ

ଶିଶୁ-ସ୍ୱଭାବ ଚପଳ ।’’

ଅଭିମାନୀ କେହୁ କହଇ ଗରବେ,

‘‘ଉଚିତ ଆମ ମରଣ,

ଦିନକରେ ଯେବେ ଏକା ଏ ବାଳକ

କରେ ଦେଉଳ ପୂରଣ ।’’

ଅନ୍ୟ ବୋଲେ, ‘‘ଛାଡ଼ ଈର୍ଷା ଅହଙ୍କାର

ନାହିଁ ଏଥି ଅପମାନ,

ପୂରୁ ଦେବାଳୟ ରହୁ ରାଜଦ୍ୱାରେ

ଶିଳ୍ପୀକୁଳ-ସନମାନ ।’’

‘‘ଗୋପନେ ଯଦ୍ୟପି ନ ହେବ ଏ କାର୍ଯ୍ୟ

ଲୋକରେ ପଡ଼ିବ ଜଣା,

ବନ୍ଧା ହେବ ଶାଢ଼ୀ ଏ ବାଳକ ମୁଣ୍ଡେ

ଆମ ମୁଣ୍ଡ ହେବ ହଣା ।’’

ସପକ୍ଷେ ବିପକ୍ଷେ କହିଲେ ଏପରି

କେତେ କଥା କେତେ ଜଣ,

ଅବଶେଷେ ଜଣେ ବୃଦ୍ଧ ଶିଳ୍ପୀ ଭଣେ;

‘‘ଶୁଣ ଭାଇ ସଭାଜନ !

ହେଲେ ହେଁ ବାଳକ ଶିଳ୍ପୀକୁଳେ ଜାତ

ମୁଦିବ ଯେବେ ମନ୍ଦିର,

ରହିବ ଉତ୍କଳେ ଶିଳ୍ପୀ-ଗଉରବ

ଯାଉପଛେ ଆମ ଶିର ।

ପ୍ରତିଜ୍ଞା ଏହାର ଅସମ୍ଭବ ବୋଲି

ମନେ ବିଚାର ନ କର,

କାହାକୁ କି ଶକ୍ତି ଦେଇଛନ୍ତି ପ୍ରଭୁ

ଜାଣିବ ତା କାହିଁ ନର ?

ହୁଏ ଶିଶୁମୁଖେ ସତ୍ୟ ପରକାଶ

ବାଳକେ ବଳ-ଉଦୟ,

ଅସମ୍ଭବ ହୁଏ, ସମ୍ଭବ ଜଗତେ

ଦୟା କଲେ ଦୟାମୟ !

ଧ୍ରୁବ ପ୍ରହଲ୍ଲାଦ ପୁରାଣ-ପ୍ରବାଦ

କବି-କଳ୍ପନା ନ କହ,

କାଳେ କାଳେ ଶିଶୁ ଅସାଧ୍ୟ ସାଧିବ

ହେଲେ ପ୍ରଭୁ ଅନୁଗ୍ରହ ।

ଶୁଣିଛ ତ ସର୍ବେ ଅଭିମନ୍ୟୁ କଥା

ବୀର-ବାଳକ-ବିକ୍ରମ,

ଶୁଣିଛ ଜନମୁଁ ଥିଲେ ଶୁକଦେବ

ବ୍ରହ୍ମଜ୍ଞାନୀ ଅନୁପମ ।

ଶିଶୁ ବଢ଼ି କ୍ରମେ ହୁଏ ଯୁବା ବୃଦ୍ଧ

ଚତୁର ପ୍ରବୀଣ ନର,

ପ୍ରଭାତ ଅରୁଣେ ଲୁଚି ରହିଥାଏ

ମଧ୍ୟାହ୍ନ ତେଜ ପ୍ରଖର ।

କାଲି ଦିନ ରାତି ରହିଅଛି ବାକୀ

ବିଚାରିବୁ ନାହିଁ କାଳ,

ଯାହା କରିବାର ସ୍ଥିର କର ଏବେ

ଆଉ ଅଧିକ ନ ଭାଳ ।

ଦଇବ ବିଧାନେ ଏ ବାଳକ ଏଥି

ଯଥାକାଳେ ଉପଗତ,

ଛାଡ଼ିଦେବା ଏହା ହାତେ ବାକି କାର୍ଯ୍ୟ

କର ସର୍ବେ ଏହି ମତ ।"

ଏହିପରି ବହୁ ବିଚାର ଶେଷରେ

ସ୍ଥିର କଲେ ଶିଳ୍ପୀଗଣ,

କରନ୍ତୁ ବାଳକ କାଲି ଦିବାଭାଗେ

ଆଗେ ମନ୍ଦିର ବୀକ୍ଷଣ ।

କାଲି ସନ୍ଧ୍ୟାଯାଏ ଲାଗିବା ସରବେ

କାମ ନ ହେଲେ ପୂରଣ,

ସମର୍ପି ଦେଉଳ ବାର ଶତ ଶିର

ବାଳକେ ଯିବା ଶରଣ ।

ବାଳକେ ସରବେ କଲେ ଧନ୍ୟ ଧନ୍ୟ

ଭାଜିଲା ସଭା ସେ ଦିନ,

ବାରଶ ବଢ଼ାଇ ଲାଗିଲେ କାମରେ

ନିରାଶେ ମୁଖ ମିଳିନ ।

Image

 

(୪)

 

ତହିଁ ଆରଦିନ ଧର୍ମପଦ ଦେଖେ

ଦେଉଳ ଗଠନ ରୀତି,

ପରଖେ ପତନ ପୀଢ଼ ଖମ୍ବ କୋଣ

ଆଦ୍ୟା ପ୍ରାନ୍ତ ଅବସ୍ଥିତି ।

ବାରଶ ବଢ଼ାଇ ଲାଗିଛନ୍ତି କାମେ

କରି ପ୍ରାଣ ପ୍ରାୟଶ୍ଚିତ୍ତ,

ଚାହୁଁ ଚାହୁଁ ଦିନ ହେଲା ଅବସାନ

ରବି ହେଲେ ଅସ୍ତିମିତ ।

ନ ସରିଲା କାମ ନ ଦିଶଇ ଆଶା

ରାତି ମଧ୍ୟେ ପୂରିବାର,

ବାରଶ ବଢ଼ାଇ ମୁଣ୍ଡେ ହାତ ଦେଇ

ବସିଲେ ତେଜି ଆହାର ।

କହେ ଧର୍ମପଦ, “ଆଜ୍ଞା ହେଲେ ମତେ

କାମେ ଦେବି ଏବେ ହାତ,

ପ୍ରଭୁ ଦୟା କଲେ ପୂରିବ ଦେଉଳ

ନ ହେଉଁ କାଲି ପ୍ରଭାତ ।"

ବାରଶ ବଢ଼ାଇ କଲେ ଧନ୍ୟ ଧନ୍ୟ

ଦେଲେ ସର୍ବେ ଆଶୀର୍ବାଦ,

“ଯାଅ ବାବୁ ଯାଅ ବିଳମ୍ବ ନ କର

କହି କଲେ ଉଚ୍ଚନାଦ ।

“ରହୁ କୁଳମାନ ପୂରୁ ନରସିଂହ-

ନୃପତି ମନ କାମନା,

ବାର ବରଷର ବଢ଼ାଇ ପୁଅର

ହେଉ କୀରତି ଘୋଷଣା ।"

Image

 

(୫)

 

ଆରମ୍ଭିଲା କାମ ଦେଉଳ ଶିଖରେ

ଏକ ଲୟେ ଧର୍ମପଦ,

ଆଶାର ଆନନ୍ଦେ କାରିଗର ଏଣେ

ଆଶଙ୍କା କଲେ ଆପଦ ।

ବାଳକ କରଣୀ ନିଶ୍ଚେ ଯିବେ ଜାଣି

ନରସିଂହ ଗଜପତି,

ଏ ବାଳକ ମୁଣ୍ଡେ ବନ୍ଧା ହେବ ଶାଢ଼ୀ

ଘଟିବ ଆମ ବିପତ୍ତି ।

ଯଥା ସମୟରେ ପୂରିବ ଦେଉଳ

ଏହି ମାତ୍ରା ଆଶ୍ଵାସନା,

ପରାଣ-ଭୟରେ ସବୁ କାରିଗରେ

କରନ୍ତି ନାନା ଭାବନା ।

ବସି ଏକଠାଇଁ ବାରଶ ବଢ଼ାଇ

ଆତଙ୍କେ କାଟନ୍ତି ନିଶି,

ଏହି ସମୟରେ ପୂରିଲା ଦେଉଳ

ଅଗ୍ର-କୁମ୍ଭ ଗଲା ଦିଶି ।

ହରଷ-ବିଷାଦେ ଚାହିଁଲେ ସକଳେ

ନିରେଖି ଦେଉଳେ ଚୂଳେ,

ରାତି ଥାଉଁ ଥାଉଁ ଓହ୍ଲାଇ ମିଳିଲା

ଧର୍ମପଦ ତାଙ୍କ ତୁଲେ ।

Image

 

(୬)

 

ଦେଖି କାରିଗରେ କରନ୍ତି ପ୍ରଶଂସା

ନାହିଁ କାହା ମନେ ସୁଖ,

ପଚାରେ ବାଳକ, "କି ପାଇଁ ଦିଶନ୍ତି

ଆପଣ ସର୍ବେ ବିମୁଖ ?

ଦର ବିକଶିତ କମଳ ସରସେ

କିପାଁ ହିମ ବିନ୍ଦୁପାତ ?

ଉଲ୍ଲସିତ ପ୍ରାଣେ କାହୁଁ କି କାରଣେ

ଅକସ୍ମାତେ କଷାଘାତ ?"

ଜଣେ ବୃଦ୍ଧ ଶିଳ୍ପୀ କହନ୍ତି ନିରୋପି

ସମସ୍ତଙ୍କ ମନକଥା-

“ପୂରିଲା ଦେଉଳ, ହେବ ତୁମ ଯଶ

ନ ରହିବ ଆମ ମଥା ।"

ନ ଶୁଣୁ ଅଧିକ କହଇ ବାଳକ

‘‘ମୋର ସେ ଯଶେ କି ଫଳ ?

ଯେବେ ଶିଳ୍ପୀକୁଳ ବାର ଶତ ଫୁଲ

ଝାଉଁଳି ପଡ଼ିବେ ତଳ ।

ମୁଁ ଶିଳ୍ପୀକୁଳର ଅଧମ ତନୟ

ଜାତିଭାଇଙ୍କ କିଙ୍କର,

ଦେଉଳ ପୂରଣେ ନାହିଁ ମୋ କରଣୀ

ସେ ସବୁ କାର୍ଯ୍ୟ ତୁମ୍ଭର ।

ଜାତି ଭାଇଙ୍କର ଆଦେଶେ ସିନା ମୁଁ

କଲି କାର୍ଯ୍ୟ ସମ୍ପାଦନ,

ଜାତିପୁଅଙ୍କର ମୁଣ୍ଡ ଗଲେ ମୋର

ଜୀବନେ କି ପ୍ରୟୋଜନ ?

ବାରଶ ବଢ଼ାଇ ମୋର ଜାତିଭାଇ

ଜାଣ ଏ କଥା ନିଶ୍ଚୟ,

ଯାହା ହେବ ହେବ କେବେ ନ ଘଟିବ

ତୁମ୍ଭ ଜୀବନ-ସଂଶୟ;

କେହି ନ ଜାଣନ୍ତି ମୋ ନାମ ଏଠାରେ

ନ ଜାଣିବେ କେହି ତାହା,

ନ ହେଉଁ ଆଜି ଏ ରଜନୀ ପ୍ରଭାତେ

ଦେଖିବି ମୁଁ ନିଜ ରାହା ।

ରାତିକେ ଦେଉଳ ପୂରିଲା ଯେପରି

ନ ହେବ ଲୋକେ ପ୍ରକଟ,

ନ ଜାଣିଲେ ରାଜା କି ଅବା ପ୍ରଧାନ

ପଡ଼ିବ କିପାଁ ସଙ୍କଟ ?

ପହରେ ମାତର ଅଛି ଆଉ ରାତି

ଯାଅ ବାସେ ଶୁଅ କ୍ଷଣେ,

ହେଉଛି ବିଦାୟ ଦଣ୍ଡବତ କରି

ଜାତିଭାଇଙ୍କ ଚରଣେ ।”

Image

 

(୭)

 

ଯେ ଯାହା କୁଟୀରେ ଗଲେ କାରିଗରେ

ବାପ ସଙ୍ଗେ ଧର୍ମପଦ,

କହେ ପୁଅ, “ଏବେ ପୁଚ୍ଛିବି କଥାଏ

ମନେ ନ ଗଣ ଆପଦ ।

କହିବ ତୁରିତେ ପୁଅରେ ଦାୟ କି

ବାରଶ ବଢ଼ାଇ ଦାୟ,

ଏ ବିଚାରେ ହେବ ବାରଶ ବଢ଼ାଇ-

ତ୍ରାଣ-ଉଦ୍ଧାର-ଉପାୟ ।”

ବାପ ମନେ ଭାଳେ କେତେ ପାପ ଚିନ୍ତା

ମୁଖେ ଉତ୍ତର ନ ଆସେ,

ଉଭୟ ସଂକଟେ ପଡ଼ି ଯଥା ନର

ଯାଏ ନାହିଁ କେଉଁ ପାଶେ ।

ବାପର ବିଷାଦ ଦେଖି ଧର୍ମପଦ

କହେ ସୁକୋମଳ ଭାଷା,

“ବାରଶ ବଢ଼ାଇ ରହନ୍ତୁ ଜୀବନେ

ଛାଡ଼ ଏବେ ମୋର ଆଶା ।

ଏ ଜଗତେ କାହା ପୁଅ ବା କାହାର,

ସମସ୍ତ ମାୟା ଭିଆଣ,

ସାର୍ଥକ ଜନମ ତାର ଏକା ସିନା

ପର ହିତେ ଯାର ପ୍ରାଣ ।

କହିଛନ୍ତି ମୁନି- ‘କୁଳରକ୍ଷା ଘେନି

ହେବ ଯେବେ ପ୍ରୟୋଜନ,

ତେଜିବ ଜଣକୁ ହେଲେ ହେଉ ପଛେ

ସେ ଯେଡ଼େ ସ୍ନେହଭାଜନ ।

ନ ହୋଇ ବ୍ୟାକୁଳ ଗ୍ରାମହିତେ କୁଳ

ବରଜନ୍ତି ସାଧୁଜନ,

ଦେଶହିତେ ଗ୍ରାମ, ଜଗତ କଲ୍ୟାଣେ

କର ଦେଶ ବିସର୍ଜନ ।’

ବାରଶ ବଢ଼େଇ ଆମ ଜାତି ଭାଇ

ଶିଳ୍ପୀକୁଳ ଗଳାହାର,

ପାଆନ୍ତୁ ଜୀବନ ମୋ ଜଣକ ଲାଗି

ମନେ କିଛି ନ ବିଚାର ।

ତେଜ ମୋ ମମତା, ହେବ ନାହିଁ ବାପା

ଦେଖା ଆଉ ଏ ଜୀବନେ,

ଦିଅ ଅନୁମତି, କର ଆଶୀର୍ବାଦ

ବିଦା ହେବି ଏହି କ୍ଷଣେ ।"

କହେ ବୃଦ୍ଧ, ‘‘ବାବୁ, ବାର ବର୍ଷ ହେଲା

ଛାଡ଼ି ଆସିଅଛି ଘର,

ଯେତେବେଳେ ତୁହି ହୋଇଥିଲୁ ମାତ୍ର-

ଗର୍ଭରେ ଚାରି ମାସର ।

ପୁଅ କିବା ଝିଅ ହେଲା କି ଅପତ୍ୟ

କିବା ଗର୍ଭ ହେଲା ନାଶ,

ଭାବିବାକୁ ମତେ କେବେହେଲେ ଦଣ୍ଡେ

ମିଳିନାହିଁ ଅବକାଶ ।

କି ଯୋଗରେ ବାବୁ ପହଞ୍ଚିଲୁ ଆସି

କଲୁ ଅସାଧ୍ୟ ସାଧନ,

ଏପରି ସୁଯୋଗ୍ୟ ପୁଅ ପାଏ କିରେ

ଅଳପ ଭାଗ୍ୟରେ ଜନ !

ବିଜୁଳି ପରାୟେ ଝଟକି ନିମିଷେ

ଏବେ ଲୁଚିଯିବୁ କାହିଁ ?

ଏଡ଼େ ଭାଗ୍ୟର କି ଏହି ପରିମାଣ

ଏହା କି ମୁଁ ଥିଲି ଦାହି ?

କେଉଁ ଜନ୍ମେ କାହା ଖାଇବା ପତରେ

ପକାଇଥିଲି ମୁଁ ଧୂଳି,

କାହା ଅଞ୍ଜଳିରୁ ଧନ ହରି ନେଇ

ଦେଲି ତା ହାତେ ଶାଙ୍କୁଳି !

ଅପାର ପାତକେ ପୂରି ରହିଅଛି

ମୋ ପ୍ରାରବ୍‌ଧ କର୍ମବନ୍ଧ,

ପଲକେ ମୋ ପଥ ଉଜଳି ନୋହିଲେ

କିପାଁ ଯିବୁ କରି ଅନ୍ଧ ?

ବାରଶ ବଢ଼ାଇ ଆମ ଜାତିଭାଇ

ନୁହନ୍ତି ମୋ ପ୍ରୟୋଜନ,

କୁଳ-ଗଉରବ ସଦା ରହିଥିବ

ଥିଲେ ତୋ ପରି ନନ୍ଦନ ।

ଯାର ଗୁଣରାଶି ଜଗତେ ପ୍ରକାଶି

ରଖେ ଜାତିକୁଳ ମାନ,

ସେପରି ଗୋଟିକ ସଙ୍ଗତେ ନୁହନ୍ତି

ଆନ କୋଟିଏ ସମାନ ।"

ତହୁଁ ପୁଅ ବେଗେ ବୋଲେ ଉଦ୍‌ବେଗେ

‘‘ଅଧିକ ନ କହ ଆଉ

ହେଉଛି ଉଛୁର ଯିବି ଏଠା ଛାଡ଼ି

ଏବେ ରାତି ଥାଉଁ ଥାଉଁ ।”

“କାହିଁ ଯିବୁ ବାବୁ ଫେଡ଼ି କହ ସବୁ

ରହିବୁଟିକି ପରାଣେ ?

ବଞ୍ଚି ରହିଥିଲେ କେବେହେଲେ ଦେଖା

କାହିଁ ହେବ କିଏ ଜାଣେ !”

କହେ ପୁଅ, “ବାପ, ଜୀବନ-ମରଣ

ଲାଗିଅଛି ଅନୁକ୍ଷଣ,

ଜନମ ହୋଇଲେ ଆଗେ ଅବା ପଛେ

ଅବଶ୍ୟ ହେବ ମରଣ ।

କାପୁରୁଷ ପରି ମରିବା ଜଗତେ

ନୁହେ ନର ପଉରୁଷ

ପରହିତ ସାଧି ମରେ ଯେ ମହୀରେ

ସେହି ଏକା ସୁପୁରୁଷ ।

ମାନବ-ଜୀବନ ନୁହଇ କେବଳ

ବର୍ଷ-ମାସ-ଦିନ-ଦଣ୍ଡ,

କର୍ମେ ଜୀଏଁ ନର, କର୍ମ ଏକା ତାର

ଜୀବନର ମାନଦଣ୍ଡ ।

ମୁହୂର୍ତ୍ତେ ମାତର ଉଜ୍ଜ୍ଵଳି ପ୍ରଖର

ଶିଖା ଟେକି ହୁତାଶନ,

ଜଳି ଯେବେ କରେ ଆଲୋକ ଉତ୍ତାପ

ଚଉଦିଗେ ବିତରଣ,

ଲିଭୁ ସେ କ୍ଷଣକେ, ତଥାପି ଏ ଲୋକେ

ରହେ ତା’ ଆଦର ଯଶ;

କି ଲୋଡ଼ା ତହିଁରେ ରହେ ଯେ ମହୀରେ

କୁହୁଳି ସହସ୍ର ବର୍ଷ ?

କହିଛି ନିଶ୍ଚୟ ଏ ଜୀବନେ ଆଉ

ହେବ ନାହିଁ ଯେବେ ଦେଖା,

ଜୀଇଁବା ମରିବା କିପାଇଁ ପଚାର

ସେ ଦୁଇ କଥା ତ ଏକା ।

ଏ ମୋ ବଡ଼ ଭାଗ୍ୟ ଘଟିଲା ସୁଯୋଗ

ମିଳି ଏଥି ଯଥା ବେଳେ,

ମୁଦିଲି ଦେଉଳ କୂଟ ଶିଳ୍ପତନ୍ତ୍ରେ

ଶିଖିଲି ଯା ଶିଶୁ-ଖେଳେ ।

ବାରଶ ବଢ଼ାଇ ମୋର ଜାତିଭାଇ

ସହି ନିନ୍ଦା ଅପମାନ ।

ମଲେ ଯେବେ ଏଥି କି ସୁଖ ମୋହର

କରି ମନ୍ଦିର ନିର୍ମାଣ ?

ବାରଶ ବଢ଼ାଇ- ରକତ ରଞ୍ଜିତ

ଯଶ ସନମାନ-ଧନ,

ପାଇ ରାଜଦ୍ଵାରେ କହ କି ପ୍ରକାରେ

ବଢ଼ିବ ମୋ ବଡ଼ପଣ ?

ଶାଢ଼ୀ ବାନ୍ଧି ମୁଣ୍ଡେ ଯିବି ରାଜଦାଣ୍ଡେ

ଦେଖି ଜାତି-କୁଳ-ନାଶ,

କି ରଙ୍ଗେ ଚିତ୍ରିବ ଏ ଜଘନ୍ୟ ଛବି

ଭବିଷ୍ୟତ ଇତିହାସ !

ଦେଉଳ ଅମୁଦା ରହି ମରିଥାନ୍ତେ

ଯେବେ ସବୁ କାରିଗରେ,

ମୋ କର୍ମ-କୌଶଳେ ଲଜ୍ଜା ଅପମାନ

ନ ଥାନ୍ତା ତାଙ୍କ ମୁଖରେ ।

ଉତ୍କଳର ଶିଳ୍ପୀ- କୁଳ ଇତିହାସେ

ନ ରହୁ ଏ କଳା ଦାଗ,

ତେଣୁ ସ୍ଵଚ୍ଛମନେ ଏ ଜୀବନ ଲାଗି

କର ବାପା ମୋତେ ତ୍ୟାଗ ।

‘ସଞ୍ଚାଣ-କପୋତ’- ଅଦ୍ଭୁତ ଚରିତ

ଶୁଣିଛ ମହାଭାରତେ,

ପରାଣ ବିକଳେ କପୋତ ବ୍ୟାକୁଳେ

ମିଳିଲା ଶିବି-ପୁରତେ ।

କାଶୀ-ନରପତି କପୋତ ବିପତ୍ତି

ଦେଖି ପାଇଲେ କଷଣ,

ଯେବେ ଯଜ୍ଞାଗାରେ ଉଡ଼ିଣ ଆତୁରେ

ପଶିଲା ପକ୍ଷୀ ଶରଣ ।

ଯାଚକ-ଯାଚ୍‌ଞା ନ କଲେ ପୂରଣ

ଯଜ୍ଞଫଳ ଯାଏ ନାଶ,

ସଞ୍ଚାଣ ବଧିଲେ ହିଂସା ମହାପାପ

ଆବର କରିବ ଗ୍ରାସ ।

ଉଭୟ ସଂକଟେ ନ ଦେଖି ଉପାୟ

ଶିବି ରାଜା ମହାମତି,

ବେନି ପକ୍ଷୀ ମଧ୍ୟେ ଉଭା ହୋଇ ସଧେ

ସଞ୍ଚାଣେ କଲେ ବିନତି ।

‘‘ଦେବି ପକ୍ଷିରାଜ, ଯାହା ଇଛା ମାଗ

ରଖ କପୋତ ଜୀବନ’’;

କହଇ ସଞ୍ଚାଣ, ‘ଲୋଡ଼ା ନାହିଁ ଧନ,

ମୁଁ ଯେ କ୍ଷୁଧା-ଅବସନ୍ନ ।

କପୋତ ଉଦ୍ଧାରେ ଉଦାର ଅନ୍ତରେ

କର ଯେବେ ଅଭିଳାଷ,

ନିଜ ଅଙ୍ଗୁ କାଟି ତୁଳିଦିଅ ମୋତେ

କପୋତ ସମାନ ମାଂସ ।’’

ହରଷେ ନୃପତି ଦେଖାଇଣ ଛାତି

କାଟିଦେଲେ ମାଂସ ଖଣ୍ଡେ,

ପରିମାଣେ ମାଂସ କପୋତ ସମାନ

ହେଲା ନାହିଁ ତୁଳାଦଣ୍ଡେ ।

ଆଉ ଖଣ୍ଡେ ପୁଣି କାଟିଲେ ନୃମଣି

ସମ ନୋହିଲା ନିକିତି,

ଖଣ୍ଡେ ଖଣ୍ଡେ କ୍ରମେ କଲିଜା କାଟିଲେ

କପୋତେ ପ୍ରକାଶି ପ୍ରୀତି ।

ନୃପ-ଦୟାପଣ ଦେଖି ସେ ସଞ୍ଚାଣ

କଲା ଶେଷେ ଜୟନାଦ,

ତେଜିଲା କପୋତେ ଗଲା ନିଜ ପୁରେ

ଦେଇ ଦିବ୍ୟ ଆଶୀର୍ବାଦ ।

କପୋତର ହିତେ ଶିବି ଶୁଦ୍ଧିଚିତ୍ତେ

କରି ଏ ଆତ୍ମ ଉତ୍ସର୍ଗ

ଇହ ପରଲୋକେ ଲିଭିଲେ ଅକ୍ଷୟ

ଧର୍ମ ଆଦି ଚାରି ବର୍ଗ ।

ଏ ଜଗତ ବାପ, ମହା ମଖଶାଳା

ନରନାରୀ ଯଜମାନ,

ସେହି କୃତୀ, ଯେହୁ ପରହିତେ କରେ

ଜୀବନ ଆହୁତି ଦାନ ।

ଭୁବନ-ବିଦିତ ଦଧୀଚି ଚରିତ

ପୁରାଣେ ତ ଅଛ ଶୁଣି,

କହି ସ୍ଵସ୍ତି ସ୍ଵସ୍ତି ଦେଲେ ନିଜ ଅସ୍ଥି

ବିଶ୍ଵହିତେ ମହାମୁନି ।

ପରହିତେ ପ୍ରାଣ ଉତ୍ସର୍ଗି ପୂରବେ

କେତେ କେତେ ମହାଜନ,

ଲଭିଛନ୍ତି ତ୍ୟାଗେ ପରାଣ ପୂର୍ଣ୍ଣତା

ମରଣେ ନିତ୍ୟ ଜୀବନ ।

କୋରକିତ ପ୍ରାଣ ଫୁଟେ ପ୍ରେମ-ସରେ

ପବନେ ମିଶାଏ ବାସ,

ବିଶ୍ୱବ୍ୟାପୀ ରବି- ଉଜ୍ଜ୍ଵଳ ଆଲୋକେ

ଚାରୁ ସ୍ନିଗ୍‌ଧ ମନ୍ଦହାସ ।

ବାରଶ ବଢ଼ାଇ ରହିଛନ୍ତି ଚାହିଁ

ଏବେ ତୁମ ମୁଖ ପ୍ରତି,

ପୁତ୍ର-ସ୍ନେହ-ମାୟା ତୁଟାଇଲେ ତୁମ୍ଭେ

ଯିବେ ସକଳେ ବିରତି ।

ବାରଶ ବଢ଼ାଇ ମୁହଁକୁ ଅନାଇଁ

ମୋ ମମତା ଏବେ ଛାଡ଼

ଜାଣ ଏ ଦେଉଳୁଁ ଗଡ଼ି ମରିଛି ମୁଁ

ଭାଙ୍ଗି ମଥା ବୁକୁହାଡ଼ ।

ଚାହଁ ଏ ଦେଉଳେ, ଚାହଁ ଜାତିକୁଳେ,

ଛାଡ଼ ମନୁବୃଥା କଷ୍ଟ,

ବିଚାର ଜନମ ପାଇ ନାହିଁ ମୁହିଁ

ହୋଇଅଛି ଗର୍ଭୁ ନଷ୍ଟ ।

କରୁଛ ଭାବନା ନ ହେବ ମୋ ବିନା

ବଂଶ ରକ୍ଷା ତୁମ୍ଭ ଅନ୍ତେ,

କର ହେ ବିଚାର କାହା ବଂଶ ଚିର

ରହିଛି ବା ଏ ଜଗତେ ?

କେତେ ମହାଜନ ଅସାଧ୍ୟ ସାଧନ

କରିଗଲେ କାଳବଳେ,

କାହିଁ ତାଙ୍କ ବଂଶ ? ଅଛି ମାତ୍ର ଯଶ

ଆଜିଯାଏ ମହୀତଳେ ।

ଏକର ବିନାଶେ ଅନେକ ପ୍ରକାଶେ

ସୃଷ୍ଟିର ଏ ନିତ୍ୟ ବିଧି,

ଏକର ଯା କ୍ଷୟ ଅନେକ ଉଦୟ,

ଅନେକ ଏକର ସିଦ୍ଧି ।

ବଂଶ ପଛେ ଯାଉ, ଜାତି ବୃଦ୍ଧି ପାଉ

ସାଧ ଏ ଉଦାର ନୀତି,

କୋଣାର୍କ ଦେଉଳ ଗାଉ ଚିରକାଳ

ତୁମ୍ଭ ପୁଣ୍ୟ ତ୍ୟାଗ-ଗୀତି ।

ପରେ ଦୟାବହି ସତ୍ୟ ରକ୍ଷା ପାଇଁ

ପୂର୍ବେ କେତେ କେତେ ଲୋକ,

କାଟିଛନ୍ତି ନିଜ ହାତେ ପୁଅ ମୁଣ୍ଡ

ମୁହୂର୍ତ୍ତେ ନ କରି ଶୋକ ।

ବିହିତ କରମ ମାନବ ଧରମ

ବୀର ଭାବେ ଯେହୁ ସାଧେ,

ସେହି ଧନୁର୍ଦ୍ଧର ରାମ ବୀରବର

ଭବାର୍ଣ୍ଣବେ ସେତୁ ବାନ୍ଧେ ।

ତୁମର ମୋହର ଦେଖା ଦିନକର

କିପାଁ ଏତେ ମାୟା ମୋହ ?

ତେଜ ମୋ ମମତା ଦେଖାଅ ବୀରତା

କର ନାହିଁ ଜାତି-ଦ୍ରୋହ ।

କହ ମନ ସୁଖେ, ‘ନାହିଁ ପୁଏ ଦାୟ,

ବାରଶ ବଢ଼ାଇ ଦାୟ’,

ଜଗତେ ଏ କଥା ରହୁ କାଳେ କାଳେ

ନେଉଛି ଏବେ ବିଦାୟ ।

ପାହି ଆସିଲାଣି ଅନ୍ଧାର ରଜନୀ

ନିର୍ମଳ ଦିଶେ ମୋ ପଥ,

ଦିଅ ଆଶୀର୍ବାଦ ଘେନ ଏ ଜୀବନେ

ଏହି ଶେଷ ଦଣ୍ଡବତ ।"

Image

 

(୮)

 

ଏତେ କହି ପୁଅ ବାପ ପଦରଜ

ନେଇ ଲଗାଇଲା ଶିରେ,

ବୃଦ୍ଧ ମୁଖେ କିଛି ବଚନ ନ ଆସେ

ଗଣ୍ଡ ସିକ୍ତ ନେତ୍ର-ନୀରେ ।

ମୂକ ଆଶୀର୍ବାଦ ଇଙ୍ଗିତେ ପ୍ରକାଶି

ସ୍ନେହେ ଚୁମ୍ବିଲା ବଦନ,

ଚାଲିଗଲା ପୁଅ କ୍ଷଣେ ବୃଦ୍ଧ ତହିଁ

ହେଲା ଶୋକେ ଅଚେତନ ।

ଅରୁଣ-ଆରକ୍ତ- ବରଣେ ରଞ୍ଜିତ

ଦିଶେ ପୂରୁବ ଆକାଶ,

ଫିଟି ନାହିଁ ନିଶା- ଅଙ୍ଗ କଳାଶାଢ଼ୀ

ଫୁଟି ନହିଁ ଉଷାହାସ ।

ଚନ୍ଦ୍ରଭାଗା-ନୀରେ ପାହାନ୍ତି ସମୀରେ

ଖେଳଇ ମୃଦୁ ତରଙ୍ଗ,

ଅଦୂର କାନନେ ପହର ପ୍ରମାଣେ

ରାବେ କୁମ୍ଭାଟୁଆ ଖଗ ।

ଏ ମୁହଁ ଅନ୍ଧାରି ବେଳେ ଧର୍ମପଦ

ଚାଲିଗଲା ଅତି ଖରେ,

ଚାର-ପଥେ ଚଢ଼ି ଉଠିଲା ତୁରିତେ

ଦେଉଳ ଶିଖ ଉପରେ ।

Image

 

(୯)

 

ଚୌଦିଗେ ବିସ୍ତୃତ ସାଗର-ସୈକତ

ନିସ୍ତବ୍‌ଧ ବିଜନ ବେଳା,

ସମ୍ମୁଖେ ଅପାର ନୀଳ ପାରାବାର

ଚିରନ୍ତନ ଊର୍ମି ଖେଳା ।

ଊର୍ଦ୍ଧ୍ଵେ ସୁଶୋଭିତ ତାରକା-ଖଚିତ

ଅନନ୍ତ ନୀଳ ଆକାଶ,

ହେଲା ଶୁଦ୍ଧପ୍ରାଣେ ଅପୂର୍ବ ଉଦାର

ମହାଭାବ ପରକାଶ ।

ଜଳ ସ୍ଥଳ ନଭ ହେଲା ଏକ ଭାବ

ଲିଭିଗଲା ବିଚିତ୍ରତା,

ଅନନ୍ତ ଅଭେଦେ ପରମ ନିର୍ବେଦେ

ବ୍ୟକ୍ତ ବିଶ୍ୱ-ମହାସତ୍ତା ।

ବାଳୁତ ହୃଦୟ ମିଶିଗଲା ସେହି

ମହା ଅନନ୍ତ ବିତାନେ

ଅଜ ଭାବ ଭୁଲି ମଣେ ଆପଣାକୁ

ଏକୀଭୂତ ବିଶ୍ଵପ୍ରାଣେ ।

ମୁହୂର୍ତ୍ତକେ ପୁଣି ସେ କ୍ଷୁଦ୍ର ହୃଦୟେ

ସଙ୍କୁଚିତ ବିଶ୍ଵସାରା,

ଭିତର ବାହାର କଲା ଏକାକାର

ଅମୃତ ସଙ୍ଗୀତଧାରା ।

ହୋଇ ଏକ ଧ୍ୟାନ ମିଳାଇଣ ତାନ

ବିଶ୍ଵ-ସଙ୍ଗୀତ-ଲହରେ,

ଗାଏ ଧର୍ମପଦ ପରମ ଆନନ୍ଦେ

‘ଜୟ ଜଗଦୀଶ ହରେ ।’

"ନମୋ ନିରଞ୍ଜନ ନିଖିଳ ନିଦାନ

ବ୍ୟାପ୍ତ ସର୍ବ ଚରାଚରେ,

ପ୍ରଭୁ ଦୟାମୟ ମଙ୍ଗଳ-ଆଳୟ

ଜୟ ଜଗଦୀଶ ହରେ ।

ନମୋ ନିରାକାର ସର୍ବ ବିଶ୍ଵାଧାର

ବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ,

ପ୍ରଭୁ ବିଶ୍ଵପତି ଅଗତିର ଗତି

ଜୟ ଜଗଦୀଶ ହରେ ।

ଧରି ତୁମ୍ଭ ବଳ ବହଇ ଅନିଳ

ଅନ୍ତରୀକ୍ଷେ ନିରନ୍ତରେ,

ଆଦେଶେ ଉଦଧି ନ ଲଙ୍ଘେ ଅବଧି

ଜୟ ଜଗଦୀଶ ହରେ ।

ତବ ଦିବ୍ୟଜ୍ୟୋତି ପରକାଶେ ନିତି

ଗ୍ରହ ତାରା ନୀଳାମ୍ବରେ,

ତବ ପୁଣ୍ୟ ହାସେ କୁସୁମ ବିକାଶେ

ଜୟ ଜଗଦୀଶ ହରେ ।

ନଦୀ ବନ ଗିରି ଭୀମକାନ୍ତ ଶିରୀ

ତୁମ୍ଭରି କଟାକ୍ଷେ ଧରେ,

ଗାଏ ତୁମ୍ଭ ଗୀତି ଏ ବିଶ୍ଵ-ଭାରତୀ

ଜୟ ଜଗଦୀଶ ହରେ ।

ଅନନ୍ତ ମହିମା ଅତୁଳ ସୁଷମା

ଦିଶେ ବିଶ୍ଵ ସ୍ତରେ ସ୍ତରେ,

ତବ ମହାପ୍ରେମ ଖେଳେ ଚରାଚରେ

ଜୟ ଜଗଦୀଶ ହରେ ।

ସେ ମହାମହିମା କି ବୁଝିବି ପ୍ରଭୋ,

କ୍ଷୁଦ୍ର ନର କଳେବରେ,

କି ଭାଷାରେ ତବ କରିବି ହେ ସ୍ତବ

ଜୟ ଜଗଦୀଶ ହରେ ।

ଦେଶ କାଳ ସୀମା- ଅତୀତ ମହିମା

ଆଗୋଚର ସୁର ନରେ,

ଏକ ଅଦ୍ଵିତୀୟ ପୂର୍ଣ୍ଣ ପ୍ରେମମୟ

ଜୟ ଜଗଦୀଶ ହରେ ।

ପ୍ରଭୁ ପରାତ୍ପର ପରମ ଈଶ୍ଵର

ଆଶ୍ରା ଦିଅ ଶ୍ରୀପୟରେ,

ପୂରୁ ତବ ଇଛା ଏ ନର ପରାଣେ

ଜୟ ଜଗଦୀଶ ହରେ ।

ପ୍ରକାଶି କରୁଣା ଯେ ପୂଣ୍ୟ ପ୍ରେରଣା

ଦେଇଅଛ ମୋ ଅନ୍ତରେ,

କର ତାହା ସିଦ୍ଧି କରୁଣା-ବାରିଧି

ଜୟ ଜଗଦୀଶ ହରେ ।

ମୋ ହୃଦୟ-ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ,

ଦେଖାଇଛ ଯାହା ଥରେ,

ସେ ଅମୃତ-ଗତି ଦିଅ ପ୍ରାଣପତି

ଜୟ ଜଗଦୀଶ ହରେ ।

ଚନ୍ଦ୍ରଭାଗା ମୋର ଘେନ ନମସ୍କାର

ନିଅ ମୋତେ ନିଜ ଅଙ୍ଗେ,

ବହି ମାତୃସ୍ନେହ ମିଶାଅ ଏ ଦେହ

ଅତଳ ଉଦଧି ସଙ୍ଗେ ।’’

ଗାଇ ଏହିପରି କହି ‘ହରି ହରି’

ଡେଇଁଲା ସେ ନଦୀଜଳେ,

ନ ରହିଲା ତାର ଚିହ୍ନ କି ଆକାର

ଗଲା ମହାସିନ୍ଧୁ ତଳେ ।

ଆର ଦିନ ରବି ଉଇଁଣ ଚୁମ୍ବିଲା

ସଂପୂର୍ଣ୍ଣ ମନ୍ଦିର-ଚୂଳ,

ନ ଜାଣିଲେ କେହି କିଏ ସେ ମୁଦିଲା

କୋଣାରକେ ଏ ଦେଉଳ ।

ନଦୀ ଗିରି ବନେ ସାଗର କାନନେ

ମିଶିଗଲା ହାଡ଼ ମାଂସ,

‘ଧର୍ମପଦ’ ନାମ କାଳସିନ୍ଧୁ କଲା

ବିସ୍ମୃତି-ଗରଭେ ଗ୍ରାସ ।

ଲୁଚି ରହେ ନାହିଁ ସତ୍ୟ ଚିରଦିନ

କାଳେ ହୁଏ ତା ବିବୃତ୍ତି,

ନାହିଁ ଧର୍ମପଦ, ଭାଙ୍ଗିଛି ଦେଉଳ

ଅଛି ଏବେ ଜନଶ୍ରୁତି ।